ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି।
ନାଟକକୁ କୁହାଯାଏ ପଞ୍ଚମବେଦ। ତେବେ ନାଟ୍ୟମଞ୍ଚରେ ଅନ୍ତରଙ୍ଗ ନାଟକ ହେଉ କି ଚେତନାଧର୍ମୀ ଆଦି ନାଟକର ବିଭିନ୍ନ ଚରିତ୍ରରେ ସେ ଅଭିନୟ କରି ଖୁସି ହୋଇଥାନ୍ତି। ପୁଣି ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ନିଜର ଦକ୍ଷତା ହାସଲ କରିବା ସହିତ ନାଟକ ଅଭିନୟ କ୍ଷେତ୍ରରେ ମଧ୍ୟ ପିଜି କରିଛନ୍ତି। ସେ ହେଲେ ସୁଜାତା ପ୍ରିୟମ୍ବଦା, ପିତା ଶରତ ଚନ୍ଦ୍ର ଚୌଧୁରୀ, ମା’ ବିଜୟଲକ୍ଷ୍ମୀ ଚୌଧୁରୀ।
କୁହନ୍ତି ପିଲାଟିଦିନୁ ଦୂରଦର୍ଶନରେ ବିଭିନ୍ନ ନାଟକ ଓ ସିନେମା ଦେଖିଲେ କଳାକାରମାନଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇ ଖୁସି ହୋଇ ପଡୁଥିଲି। ନିଜେ ଯଦି ଏମିତି କଳାକାରଟିଏ ହୋଇପାରିବି ତେବେ ମତେ ଲୋକମାନେ ଭଲ ପାଇବେ। ଏପରିକି ସମାଜର ଉନ୍ନତିରେ ସହାୟକ ହୋଇପାରିବି। ଏକଥା ଚିନ୍ତା କରି ସ୍କୁଲ ବୟସରେ ଗୀତ ଓ ନାଚ ଶିଖୁଥିଲି ବୋଲି ଘରୁ ବହୁ କଟକଣାରେ ଯିବାକୁ ପଡ଼ିଛି। ଏମିତିରେ ଥରେ ରାଉରକେଲାରେ ମହୁମାଛି ଅନୁଷ୍ଠାନ ତରଫରୁ ଶିଶୁ ନାଟକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲି, କିନ୍ତୁ ଅସଫଳ ହେଲି। ପରେ ସୁଶିଳାବତୀ ମହିଳା କଲେଜ ଛାତ୍ରୀ ସଂସଦର ସମ୍ପାଦିକା ହୋଇଥିବା ବେଳେ କଲେଜ ବାର୍ଷିକ ଉତ୍ସବରେ ମହିଷମର୍ଦ୍ଦିନୀ ଗୀତିନାଟ୍ୟରେ ନାରଦ ଚରିତ୍ରରେ ଅଭିନୟ କରିଥିଲି। ୧୯୯୪ ମସିହାରେ ଢେଙ୍କାନାଳଠାରେ ଆୟୋଜିତ ଏକ ନାଟକ କର୍ମଶାଳାରେ ଯୋଗ ଦେଇଥିଲି। ସମୟକ୍ରମେ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା ଦିଲ୍ଲୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆଦି ସଂସ୍ଥାର ଶିବିରରେ ଯୋଗଦେଇଛି। କିଛି ଦିନ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଣେ ଅସ୍ଥାୟୀ ରେଡ଼ିଓ କଳାକାର ଭାବେ କାର୍ଯ୍ୟ କରିଛି। ଆକାଶବାଣୀ ରାଉରକେଲାରେ ଘୋଷକ ଭାବେ କାର୍ଯ୍ୟ କରିଥିଲି। କିନ୍ତୁ ସୁବୋଧ ପଟ୍ଟନାୟକଙ୍କ ନାଟ୍ୟ ଚେତନା ତରଫରୁ ଆୟୋଜିତ ମହିଳାଙ୍କ ଉଦ୍ଦେଶ୍ୟରେ ନାଟକ ଲେଖିବା, ଅଭିନୟ କରିବା, ନିର୍ଦ୍ଦେଶନା ଦେବା ଓ ପରିଚାଳନା ଆଦି ବିଷୟରେ ତାଲିମ ମଧ୍ୟ ପାଇଛି। ଚେତନାଧର୍ମୀ ନାଟକ-କଳାପାଣି, ୨୫ ଭୂତ, ମାୟାଜାଲ, ଧଳାସୁନା, ମାଠିଏ ପାଣି, ଜଙ୍ଗଲ ଯନ୍ତା ଆଦି ନାଟକ ଓ ଅନ୍ତରଙ୍ଗ ନାଟକ ଭାବେ କାଠ, ଗୀତ, ଭୂତ, ଫୁଲ, ନିଆଁ, ବାବୁ ଓ ରେବତୀ ଆଦିରେ ଅଭିନୟ କରିଛି। ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, କଳାହାଣ୍ଡି, ଫୁଲବାଣୀ ଆଦି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟ୍ୟ ମଞ୍ଚରେ ଅଭିନୟ କରିଛି। ଦିଲ୍ଲୀ, ଆସାମ, ମେଘାଳୟ, ତ୍ରିପୁରା ଆଦି ଦେଶର ବିଭିନ୍ନ ସ୍ଥାନରେ ଓ ନେପାଳ, ଇଂଲଣ୍ଡ, ନେଦରଲାଣ୍ଡ, ଫ୍ରାନ୍ସ, ଇଟାଲୀ, ବାଂଲାଦେଶ ଭଳି ବିଦେଶରେ ବି ଓଡ଼ିଆ ଭାଷାରେ ନାଟକ କରିପାରିଛୁ। ଏଯାଏ ପ୍ରାୟ ୫୦ଟି ନାଟକରେ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛି। ନାଟକ ଏକ ଜଗତୀ ଭାଷା। ଦର୍ଶକମାନଙ୍କୁ ନାଟକ ଦେଖିଆସିବା ପାଇଁ କହିଥାଉ। ନାଟକରେ ଅଭିନୟ ବେଳେ ଅଙ୍ଗଭଙ୍ଗୀ, ମୁଖରଠାଣି, ଆବେଗ, ସ୍ବରରେ ଶବ୍ଦ ସଂଳାପକୁ ଫୁଟାଇ ଦର୍ଶକମାନଙ୍କୁ ବୋଧଗମ୍ୟ କରାଇବାକୁ ଚେଷ୍ଟାକରୁ। ନାଟକ ପରିବେଷଣ ପରେ ଲୋକମାନଙ୍କଠାରୁ ମତାମତ ଗ୍ରହଣ କରିଥାଉ। ସେମାନେ ନାଟକକୁ ଶୃଙ୍ଖଳାର ସହିତ ଦେଖିଥାନ୍ତି। ସୀମିତ ସମୟ, କଳାକାର, ବିଷୟ, ସଙ୍ଗୀତ ଆଦି ଲୋକଙ୍କ ମନଛୁଆଁ କିପରି ହୋଇପାରିବ ସେଥିପାଇଁ ଧ୍ୟାନ ଦେଇଥାଉ। ମୁଖ୍ୟତଃ ପରିବେଶ, ସାଂସ୍କୃତିକ ଅବକ୍ଷୟ, ଏକତା, ମହିଳା, ଶିଶୁ, ଆର୍ଥିକ ଶୋଷଣ ଆଦି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ହୁଏ। ‘ସୀତା ଅସୀତା’ ନାଟକ ବେଳେ ପିପିଲିଠାରେ ଜଣେ ମହିଳା ମୋ ପ୍ରତି ବହୁତ ଖୁସି ହୋଇପଡ଼ିଥିଲେ, ସବୁଦିନ ମନେରହିବ। କରୋନା ସମୟରେ ଜଣେ ଦାଦନ ଫେରନ୍ତା ମହିଳା ଶ୍ରମିକ ତା’ର ୧୭ଦିନର ଶିଶୁକୁ କାନ୍ଧରେ ବାନ୍ଧି କିପରି ଶହ ଶହ କି.ମି. ଦୂରରୁ ଗାଁକୁ ଫେରୁଛି ତା’ର ଦୁଃଖ ବିଷୟରେ ‘ମୁଁ ତୋ ମା’ ନାଟକରେ ଅଭିନୟ କରିଥିଲି। ହଁ, ମୋର ଏହି ନାଟ୍ୟ ପ୍ରତିଭା ପ୍ରତି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କାର ମିଳିଛି। କିନ୍ତୁ ଲୋକଙ୍କୁ ଏହି କ୍ଷେତ୍ରରେ ଅଧିକ ଖୁସି ଦେଇପାରିଲେ, ତା’ ହେବ ଅସଲ ପୁରସ୍କାର। ସେବେଠାରୁ ଆଉ ପଛକୁ ଫେରିନି। କିନ୍ତୁ ମୋ ମତରେ ନାଟକ ଚିତ୍ତରଞ୍ଜନଧର୍ମୀ ହେବା ଉଚିତ।
-ବନବିହାରୀ ବେହେରା